ପୁଣି ବଢିପାରେ ପେଟ୍ରୋଲ, ଡିଜେଲ୍ ଦର । କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା, ଗ୍ରାହକ ବୋହିବେ ବୋଝ

0
344

ନୂଆଦିଲ୍ଲୀ,୨୩/୧୨-(ବ୍ୟୁରୋ ରିପୋର୍ଟ)ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ବାବଦରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବାର ସମ୍ଭାବନା ରହିଛି। ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ଭାରତ ଷ୍ଟେଜ୍(ବିଏସ୍)-୬ ମାନଦଣ୍ଡର ଗାଡ଼ି ବିକ୍ରି ହେବ। ଏଥିପାଇଁ ତେଲ କମ୍ପାନି ଗୁଡ଼ିକୁ ମଧ୍ୟ କମ୍ ପ୍ରଦୂଷଣଯୁକ୍ତ ପେଟ୍ରୋଲ ଏବଂ ଡିଜେଲ ଯୋଗାଇକୁ ହେବ। ଉନ୍ନତମାନର ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦନ ପାଇଁ ବିଶୋଧନାଗାର ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ କରାଯାଉଛି। ଏଥିଲାଗି କମ୍ପାନି ଗୁଡ଼ିକୁ ବିପୁଳ ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ୁଛି। ତେଣୁ ଏହି ନିବେଶ ବାବଦ ବୋଝ କମ୍ପାନି ଗୁଡ଼ିକ ନିଜେ ବହନ ନକରି ଖାଉଟିଙ୍କ ମୁଣ୍ଡରେ ଲଦିବାକୁ ଯୋଜନା କରୁଛନ୍ତି। ୫ ବର୍ଷ ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଏ ବାବଦରେ ଅଧିକ ଅର୍ଥ ଆଦାୟ କରିବା ପାଇଁ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲିୟମ ମନ୍ତ୍ରାଳୟର ଅନୁମତି ମାଗିଥିବା କୁହାଯାଉଛି। ପେଟ୍ରୋଲିୟମ ମନ୍ତ୍ରାଳୟ ଯଦି ତୈଳ କମ୍ପାନିଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିନିଏ ତା’ହେଲେ ୫ ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କୁ ପେଟ୍ରୋଲ ଏବଂ ଡିଜେଲ କିଣିବା ଲାଗି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଖାଉଟିଙ୍କୁ ଲିଟର ପିଛା ପେଟ୍ରୋଲ ଉପରେ ପ୍ରାୟ ୮୦ ପଇସା ଏବଂ ଡିଜେଲ ଉପରେ ଦେଢ଼ ଟଙ୍କାର ଅଧିକ ଅର୍ଥ ଗଣିବାକୁ ପଡ଼ିବ ।ତୈଳ ବିଶୋଧନାଗାରରେ ଆଧୁନିକୀକରଣ ବାବଦରେ ହେଉଥିବା ନିବେଶର ମୂଲ୍ୟ ଉଠାଇବା ପାଇଁ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ସେଥିମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ଦର ବୃଦ୍ଧି ଅନ୍ୟତମ। ନିବେଶ ବାବଦ ଖର୍ଚ୍ଚ ଅସୁଲ ପାଇଁ ଆମେ ପେଟ୍ରୋଲିୟମ ମନ୍ତ୍ରାଳୟକୁ ଏକ ବିସ୍ତୃତ ଯୋଜନା ଦେଇଛୁ ଏବଂ ମନ୍ତ୍ରାଳୟର ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ବୋଲି ଏକ ଘରୋଇ ବିଶୋଧନାଗାରର ଅଧିକାରୀ କହିଛନ୍ତି।ଦେଶରେ ୨୦୧୭ ଏପ୍ରିଲ ପହିଲାର ବିଏସ୍-୪ ମାନଦଣ୍ଡର ଇନ୍ଧନ ବିକ୍ରି କରାଯାଉଛି। ତେବେ ସେହି ସମୟରେ ଇଣ୍ଡିଆନ୍ ଅଏଲ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଭଳି ସରକାରୀ କମ୍ପାନି ବିଏସ-୬ ମାନଦଣ୍ଡର ତେଲ ଉତ୍ପାଦନ ପାଇଁ ପ୍ରାୟ ୮୦ ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ଏପରିକି ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ବିଏସ୍-୬ ମାନଦଣ୍ଡର ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରାଯିବା ପୂର୍ବରୁ ନାୟରା ଏନର୍ଜି (ପୂର୍ବର ଏସାର ଅଏଲ) ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବହୁ ପରିମାଣର ପୁଞ୍ଜି ବିଶୋଧନାଗାର ଆଧୁନିକୀକରଣ ବାବଦରେ ଖଟାଇଛନ୍ତି।ତେବେ ପେଟ୍ରୋଲ ଏବଂ ଡିଜେଲ ଦର ହଠାତ୍ ଏତେମାତ୍ରାରେ ବୃଦ୍ଧି ଘଟିଲେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେବ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସରକାର ଭିନ୍ନ ପନ୍ଥା ଆପଣାଇ ପାରନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ଥିବା ସମୟରେ କମ୍ପାନି ଗୁଡ଼ିକୁ ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କିଛିଟା ବୃଦ୍ଧି କରିବାକୁ ଅନୁମତି ଦେଇପାରନ୍ତି। ତୈଳ କମ୍ପାନି ଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିର୍ଦ୍ଧାରଣରେ ସରକାର ହସ୍ତକ୍ଷେପ କରୁ ନଥିବା କୁହାଯାଉଥିଲେ ମଧ୍ୟ ଅତୀତରେ କେତେକ ରାଜ୍ୟର ନିର୍ବାଚନ ସମୟରେ ଦୀର୍ଘଦିନ ଧରି ସରକାରୀ ତେଲ କମ୍ପାନି ଗୁଡ଼ିକ ଏହି ଦୁଇ ଅଟୋ ଇନ୍ଧନ ଦରକୁ ନବଦଳାଇବା ଉଦାହରଣ ରହିଛି।

LEAVE A REPLY

Please enter your comment!
Please enter your name here