ଘୁମୁସର ବୈଦ୍ଯ ସଂଘ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ ପାଳିତ

0
178

ଭଞ୍ଜନଗର, ୨୮/୦୨/୨୦୨୧: ସାରା ବିଶ୍ଵ କରୋନା ସଙ୍କଟ ମଧ୍ୟରେ ସଂଘର୍ଷ କରୁଛି । ଆୟର୍ବେଦ ବର୍ଣ୍ଣିତ ଦିନଚର୍ଯ୍ୟା ପ୍ରକରଣ, ଆହାର, ସ୍ନାନ, ସଂଗରୋଧ ଏବଂ ରୋଗ ପ୍ରତିରୋଧକ ଶକ୍ତି ନିୟମ ପାଳନ କଲେ କରୋନା ସ୍ପର୍ଶ କରି ପାରିବ ନାହିଁ । କରୋନା ଦୁଃସାଧ୍ୟ ରୋଗ ନୁହେଁ । ଆମ ପରିବର୍ତ୍ତିତ ଖାଦ୍ୟପେୟ ଅଭ୍ୟାସ ଏବଂ ପ୍ରକୃତିବିରୋଧି ଜୀବନ ଯାପନ ଶୈଳୀ ହିଁ କରୋନା ରୋଗକୁ ନିମନ୍ତ୍ରଣ କରିଛି । ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ ଓ ନିତ୍ୟକର୍ମ ସମାପନ, ସୁର୍ଯୋଦୟ ପରେ କର୍ମକ୍ଷେତ୍ର ନିୟୋଜନ, ସାତ୍ତ୍ୱିକ ଓ ନିରାମିଷ ଆହାର ହିଁ ମନୁଷ୍ୟ ଗ୍ରହଣ କରିବା ଉଚିତ୍ । ରାତ୍ରୀ ଉଜାଗର, ବିଳମ୍ବିତ ରାତ୍ରୀଯାପନ, ବିଳମ୍ବିତ ଶଯ୍ୟାତ୍ୟାଗ, ଅନାହୁତ ମଦ୍ୟପାନ, ମାଛ ମାଂସ ଭକ୍ଷଣ ରେ କୁପୋଷିତ ମଣିଷ ଶରୀରର ରକ୍ତ ମାଂସ ଦୂଷିତ ହୋଇ ରୋଗ ପ୍ରତିରୋଧକ ଶକ୍ତି କ୍ଷୟ ହେବା ଯୋଗୁଁ ନାନା ରୋଗ ଉତ୍ପନ୍ନ ହୋଇଥାଏ । କରୋନା ରୋଗ ପ୍ରତିରୋଧକ ଶକ୍ତି କ୍ଷୟ ର ସୁଯୋଗ ନେଇ ଆକ୍ରମଣ କରେ । ଯା ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ କରୋନା ତା ପାଖରେ ହାର ମାନେ । ଅନ୍ୟ ପକ୍ଷରେ କରୋନାଗ୍ରସ୍ତ ରୋଗୀ ଆୟୁର୍ବେଦ ସିଦ୍ଧ ଗୁଲୁଚି ସ୍ୱରସ, ତ୍ରୀଫଳା କ୍ୱାଥ ଓ ଅନ୍ୟ ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ଔଷଧ ସେବନ ପୂର୍ବକ ସ୍ୱଚ୍ଛ ଦିନଚର୍ଯ୍ୟା ପ୍ରକରଣ ଓ ଆହାର ବିହାର ନିୟନ୍ତ୍ରଣ ରେ ରହି କରୋନା ରାକ୍ଷସ କୁ ଅନାୟାସ ରେ ଦମନ କରି ପାରିବ । ସ୍ଥାନୀୟ କୁଶପଲ୍ଲିସ୍ଥିତ ଘୁମୁସର ବୈଦ୍ୟ ସଂଘ ମାସିକ ଆଲୋଚନା ଚକ୍ରରେ ଉପସ୍ଥିତ ବୈଦ୍ୟ ମାନେ ମତ ପ୍ରକାଶ କରିଛନ୍ତି ।
ଅଧିବେଶନ ଆରମ୍ଭରେ ଅନୁଷ୍ଠାନ ସଭାପତି ଗୋପାଳକୃଷ୍ଣ ପତି ଏବଂ ବୟୋଜ୍ୟେଷ୍ଠ ବୈଦ୍ୟ ମଙ୍ଗଳୁ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଧନ୍ଵନ୍ତରି ଆରାଧନା କରିଥିଲେ । କେ. ଶ୍ରୀନିବାସ ପାତ୍ର ଙ୍କ ସ୍ବାଗତ ସଙ୍ଗୀତ ପରେ ଅନୁଷ୍ଠାନ ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ ବିବରଣୀ ପାଠ ଓ ଅଧିବେଶନର ଆଲୋଚ୍ୟ ବିଷୟ ଉଲ୍ଲେଖ କରିଥିଲେ । ଏହି ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇ ପଚାଶ ରୁ ଉର୍ଦ୍ଧ୍ବ ବୈଦ୍ୟ ଓ ଚେରମୂଳି ଚିକିତ୍ସକ ନିଜେ ସଂଗ୍ରହ କରିଥିବା ଅପମାରଙ୍ଗ, ପାତାଳଗରୁଡ, ଶାଳପର୍ଣ୍ଣୀ, ମଣ୍ଡୁକପର୍ଣୀ, ଅଙ୍କରାନ୍ତି, ଡେଙ୍ଗାଭେଜି, ଚକାଭେଜି, ବାସଙ୍ଗ, ନିର୍ଗୁଣ୍ଡି ଇତ୍ୟାଦି ଶତାଧିକ ବୃକ୍ଷ, ଚେରମୂଳ ପ୍ରଦର୍ଶନ କରି ତାର ଦ୍ରବ୍ୟଗୁଣ ଓ ରୋଗ ପ୍ରକରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏକ ଔଷଧୀୟ ବାତାବରଣରେ ଦୀର୍ଘ ଚାରି ଘଣ୍ଟା ରୁ ଉର୍ଦ୍ଧ୍ବ ତର୍କ ବିତର୍କ ପରେ କମ୍ ଖର୍ଚ୍ଚରେ, ସରଳ ଉପାୟରେ, ଗୋଟିଏ ଦୁଇଟି ବନସ୍ପତି, ବନୌଷଧି ପ୍ରୟୋଗରେ ଦୁର୍ଦ୍ଦାନ୍ତ କରୋନା ରୋଗକୁ ନିଶ୍ଚିତ ପ୍ରତିହତ କରାଯାଇପାରେ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ବିଷୋୟୀ, ବୃନ୍ଦାବନ ନାୟକ, ଏନ୍. ସେଶଦ୍ରୀ ରେଡ୍ଡୀ, ଏସ୍. ଚନ୍ଦ୍ର ଶେଖର ପାତ୍ର, ବିପିନ୍ ଚନ୍ଦ୍ର ନାୟକ, ରୋହିତ କୁମାର ନାୟକ, ଭରତ ପ୍ରଧାନ, ପ୍ରବୀଣ କୁମାର ସାମନ୍ତରାୟ, ରଞ୍ଜନ କୁମାର ପ୍ରଧାନ, କାମରାଯୁ ପାତ୍ର, ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ବିମଳ କାନ୍ତି ପ୍ରଧାନ, ବିରୁପାକ୍ଷ ବେହେରା, ପୂର୍ଣ୍ଣଚନ୍ଦ୍ର ନାଇକ, ସତ୍ୟବାନ ନାୟକ, ରବୀନ୍ଦ୍ର କୁମାର ବିଷୋୟୀ, ଭିକାରୀ ଚରଣ ଗୌଡ, ଶରତ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ରହି ଆୟୁର୍ବେଦ ସିଦ୍ଧ ଓ ସ୍ଵ ପରୀକ୍ଷିତ ବୃକ୍ଷଲତା ମାନଙ୍କ ଔଷଧୀୟ ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ପଂକ୍ତି ଭୋଜନରେ ସମାବେଶ ସମାପନ ହୋଇଥିଲା

LEAVE A REPLY

Please enter your comment!
Please enter your name here