କୂଅ ଖୋଲିବାର ୧୨ ବର୍ଷ ପରେ କୁଅରୁ ବାହାରୁଛି ଗରମ ପାଣି : ପରୀକ୍ଷା ଜରୁରୀ।

0
207

ପୋଲସରା,୨୮/୦୨/୨୦୨୧:ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୮ ନମ୍ବର ୱାର୍ଡ଼ ଦେବୀ ନଗର ଦ୍ଵିତୀୟ ଗଳିରେ ଥିବା ଗୋଟିଏ କୁଅରୁ ଗରମ ପାଣି ବାହାରିବା ଘଟଣା ପ୍ରଚାର ହେବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ବହୁ ଲୋକ ସେଠାରେ ଜମା ହେଉଥିବା ଦେଖିବାକୁ ମିଳିଛି। ପୋଲସରା ଏନଏସି ର ୧୮ ନମ୍ବର ୱାର୍ଡ଼ର ଦେବୀ ନଗର ଦ୍ଵିତୀୟ ଗଳିର ସୁମିତା ମହାନ୍ତି ନିଜର ବ୍ୟବହାର ପାଇଁ ୨୦୦୮ ମସିହାରେ କୂଅଟି
ଖୋଳିଥିଲେ। ସେହିଦିନ ଠାରୁ ଶ୍ରୀମତୀ ମହାନ୍ତିଙ୍କ ପରିବାର ଉକ୍ତ କୂଅ ପାଣି ବ୍ୟବହାର କରି ଆସୁଥିଲେ। ପେର୍ବରୁ କୂଅରୁ ବ୍ୟବହାର ଉପଯୋଗୀ ପାଣି ବାହାରୁଥିଲା। ପ୍ରାୟ ୨୦ ଦିନ ପୂର୍ବେ କୂଅର ପାଣି ଅଳ୍ପ ଗରମ ଲାଗିବା ପରେ ପରିବାର ଲୋକେ ଶୀତଯୋଗୁଁ ପାଣି ଗରମ ଲାଗୁଥିବା ଭାବିଥିଲେ। ସେଥିପାଇଁ ଶ୍ରୀମତୀ ମହାନ୍ତିଙ୍କ ପରିବାର ସେତେଟା ଗୁରୁତ୍ୱ ଦେଇନଥିଲେ। ମାତ୍ର କୂଅର ପାଣି ଅଧିକ ରୁ ଅଧିକ ଗରମ ହେଉଥିବା ଲକ୍ଷ୍ୟ କଲେ। ଏହା ପ୍ରଘଟ ହେବାପରେ ବହୁଲୋକ ଆସି କୂଅରୁ ବାଲଟିରେ ପାଣି ବାହାର କରି ପରୀକ୍ଷା କରିବାରେ ପାଣି ବହୁତ ଗରମ ଯୋଗୁଁ ହାତ ପୁରେଇ ହୋଇପାରୁ ନଥିବା ଜଣାପଡିଥିଲା। କୂଅର ପାଣି ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ଗରମ ଲାଗୁଥିଲେ ମଧ୍ୟ ପାଣିର ସ୍ୱାଦ ଓ ଗନ୍ଧ ରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସେହି କୂଅଠାରୁ ଅଳ୍ପ ଦୂରରେ ଶ୍ରୀମତୀ ମହାନ୍ତି ଙ୍କ ଗୋଟିଏ ବୋର ୱେଲ ଥିବା ବେଳେ ସେହି ପାଣିରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ପ୍ରଶ୍ନ ଉଠୁଛି କୂଅର ପାଣି ଧୀରେ ଧୀରେ ଅଧିକରୁ ଅଧିକ ଗରମ ହେଉଥିବା ବେଳେ ଭବିଷ୍ୟତରେ କୌଣସି ବିପଦ ସୃଷ୍ଟି କରିବ ପାରେକି ? ବିଶେଷଜ୍ଞଙ୍କ ଦ୍ଵାରା ଏହି କୂଅର ପାଣି ପରୀକ୍ଷା କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here