ଯାତ୍ରା କଳାକାରଙ୍କ ଅନଶନ ରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସାମିଲ

0
144

ବ୍ରହ୍ମପୁର,୨୭/୦୨/୨୦୨୧: ସାଂସ୍କୃତିକ କାର୍ଯ୍ୟକ୍ରମ କଟକଣା ମୁକ୍ତ ନେଇ ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ମହାସଂଘ ଦ୍ଵାରା ଭୁବନେଶ୍ଵର ଲୋୟର ପି.ଏମ୍.ଜି ରାସ୍ତା ପାର୍ଶ୍ବରେ ଆୟୋଜିତ କଳାକାର ଅନଶନରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଆଜି ସାମିଲ୍ ହୋଇ ସରକାରଙ୍କ କଳାକାର ମାରଣ ନୀତି ପ୍ରତି କ୍ଷୋଭ ପ୍ରକାଶ କରିଛି । ଯାତ୍ରା ମହାସଂଘ ସଭାପତି ଦୈତ୍ୟାରି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉପଦେଷ୍ଟା ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଗଞ୍ଜାମ ଜିଲ୍ଲା ଦଣ୍ଡନୃତ୍ୟ ମହାସଂଘ ସଭାପତି, ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ ଗଞ୍ଜାମ ଶାଖା ସଭାପତି ଦିଲ୍ଲୀପ କୁମାର ସାମନ୍ତରା ପ୍ରମୁଖ ସାମ୍ପ୍ରତିକ ସରକାରୀ କଟକଣା ଭିତରେ କଳାକାରଙ୍କ ଦୁର୍ଦ୍ଦଶା ନିଜ ଅନୁଭୂତିରୁ ବଖାଣିବା ସହ ତାହାକୁ ହୃଦୟଙ୍ଗମ ପୂର୍ବକ ସରକାର କଳାକାର ମାନଙ୍କୁ ନିଃସର୍ତ୍ତ ମଞ୍ଚ ଫେରେଇ ଦେବା ନିମନ୍ତେ ପ୍ରାର୍ଥନା କରିଥିଲେ । ଅନଶନର ଷଷ୍ଠ ଦିବସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାତ୍ରା ମହାସଂଘ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ହୀରଲାଲ୍ ସ୍ଵାଗତ ଭାଷଣ ଛଳରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଯୋଗଦାନ ଅନଶନରତ କଳାକାର ମାନଙ୍କୁ ପ୍ରଭୂତ ଉତ୍ସାହ ପ୍ରଦାନ ସହ ଆତ୍ମିକ ଶକ୍ତି ବୃଦ୍ଧିରେ ସହାୟତା କରିବ ବୋଲି ମତବ୍ୟକ୍ତ କରିଥିଲେ ।
ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ ପକ୍ଷରୁ ଉପଦେଷ୍ଟା ବିଜୟ କୁମାର ସାହୁ, ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗୀତା ସ୍ୱାଇଁ, ଧ୍ରୁବ କୁମାର ପ୍ରଧାନ, ମନୋଜ ବରଡ, ଯୋଗେନ୍ଦ୍ର ପ୍ରଧାନ, ଶିବରାମ ବେହେରା, ଶରତ ଚନ୍ଦ୍ର ପାଢୀଙ୍କ ସମେତ ଗଞ୍ଜାମ ଜିଲ୍ଲା ଦଣ୍ଡନୃତ୍ୟ ମହାସଂଘ ସମ୍ପାଦକ, କୋଷାଧ୍ୟକ୍ଷ ଆଦି କର୍ମକର୍ତ୍ତାଙ୍କ ଓ ବହୁ ସଦସ୍ୟ ଏହି କଳାକାର ଅନଶନରେ ଯୋଗଦେଇଥିଲେ ।ପରିଶେଷରେ ଯାତ୍ରା ମହାସଂଘ ସହ ସମ୍ପାଦକ ଗୌରାଙ୍ଗ ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ, ସରକାର କଳାକାରଙ୍କ ଦାବି ମୁତାବକ ସ୍ଥାନୀୟ ପ୍ରଶାସନର ଅନୁମତି ସହ ଦୁଇ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ ବୋଲି ସରକାରୀ ଆଦେଶନାମା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here