ଜିଲ୍ଲାରେ କୋଭିଡ୍ ନିୟମର ଅନୁପାଳନ କଡାକଡି ହେବ

0
149

ଛତ୍ରପୁର,୨୨/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଅହରହ ପରିଶ୍ରମ କରାଯାଇ ଗଞ୍ଜାମ ଜିଲ୍ଲାକୁ କୋଭିଡ୍ ସଂକ୍ରମଣରୁ ରୋକାଯାଇ ପାରିଥିଲା । ମହାରାଷ୍ଟ୍ର, ଗୁଜୁରାଟ୍, କେରଳ ଓ ଛତିଶିଗଡରେ ନୂତନ କୋଭିଡ୍ ସଂକ୍ରମଣର ବୃଦ୍ଧି ହେତୁ ଓଡିଶାରେ ଏହା ଯେପରି ବ୍ୟାପିବ ନାହିଁ ସେଥି ସକାଶେ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । କୋଭିଡ୍ ନିୟମର ଅନୁପାଳନ ସକାଶେ ସୋମବାର ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଣାଇଥିଲେଯେ କୋଭିଡ୍ ଭାରତର କେତୋଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେତୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ଜିଲ୍ଲାକୁ କୋଭିଡ୍ ସଂକ୍ରମଣରୁ ରୋକିବା ନେଇ ପୂର୍ବରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ମାନ ପୁନରାବୃତ୍ତି କରିବାର ମହତ୍ବପୂର୍ଣ୍ଣ ଆବଶ୍ୟକତା ରହିଛି । ଅନ୍ତର ବ୍ୟବଧାନ ସଚେତନତାମୂଳକ ପ୍ରଚାର ଓ ପ୍ରସାର କାର୍ଯ୍ୟକୁ ବ୍ୟାପକ କରାଯିବ । ବଜାର ଅଞ୍ଚଳ, ହାଟ, ଜନଗହଳିପୂର୍ଣ୍ଣ ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ବାରା କଡାକଡି ପ୍ରଚାର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାପାଇଁ କହିଛନ୍ତି । ପଞ୍ଚସୂତ୍ରୀ ନିୟମର ଅନୁପାଳନ ଯେପରି ହେବ ସେ ଦିଗରେ ଚଢାଉ କରାଯିବ । ସରକାରୀ, ବେସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ୍-୧୯ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ । ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି । ସାମାଜିକ ଓ ଧାର୍ମିକ ଅନୁଷ୍ଠାନ, ଖେଳ, ମନୋରଞ୍ଜନ କାର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ କୋଭିଡ୍ ନିୟମ ସତର୍କତା ଅବଲମ୍ବନ କରିବେ ଏବଂ କେତେ ସଂଖ୍ୟକ ଲୋକ ହେଉଛନ୍ତି ସେଥିନିମନ୍ତେ ଦୃଷ୍ଟି ଦିଆଯିବ । ବିବାହ ଉତ୍ସବ ନିମନ୍ତେ ସଂପୃକ୍ତ ଅଧିକାରୀଙ୍କ ଠାରୁ ଅନୁମତି ଗ୍ରହଣ କରିବା ଜରୁରି କରାଯାଇଛି । ସମସ୍ତ ବିଦ୍ୟାଳୟ, ମହା ବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ଯଥେଷ୍ଟ ସାନିଟାଇଜେସନ୍ କରିବାକୁ କୁହାଯାଇଛି । ଛାତ୍ରଛାତ୍ରୀ, ଶିକ୍ଷକ କମିଟି ସଦସ୍ୟ କୋଭିଡ୍ ନିୟମ ଅନୁପାଳନ କରିବା ଅପରିହାର୍ଯ୍ୟ । ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ, ହାତ ଧୋଇବା ଏବଂ ସାନିଟାଇଜେସନ୍ କରିବା ବାଧ୍ୟତାମୂଳକ କରାଯାଇଛି । ପାଠ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି ଆନୁସଙ୍ଗୀକ କାର୍ଯ୍ୟ ହେବ ନାହିଁ । କୋଣସି ବ୍ୟକ୍ତି ବିଶେଷଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରିପୋର୍ଟ କରିବେ ଏବଂ ତାଙ୍କର ଚିକିତ୍ସା ନିମନ୍ତେ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ୍, ରେଷ୍ଟୁରାଣ୍ଟ, ଢାବା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ଖାଦ୍ୟପେୟ ସ୍ଥାନରେ କୋଭିଡ୍ ନିୟମର ଅନୁପାଳନ କରାଯାଉଛି କି ନାହିଁ ତାହା ପୋଲିସ ବିଭାଗ ଦ୍ବାରା କଡାକଡି ଯାଂଚ୍ କରାଯିବ । ଜିଲ୍ଲା ସ୍ତରୀୟ ଅଧିକାରୀଗଣ ବିଭିନ୍ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନ କରି କୋଭିଡ୍ ନିୟମ ଅନୁପାଳନ ଯାଂଚ୍ କରିବେ । ଓଡିଶା କୋଭିଡ୍-୧୯ ନିୟମ କାନୁନ୍ ୨୦୨୦ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ସେକ୍ସନ-୫୧ ଠାରୁ ୬୦ ପର୍ଯ୍ୟନ୍ତ ଆଇନର ନିୟମ କଡାକଡି ପାଳନ ହେଉଛି ନା ନାହିଁ ତଦାରଖ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ମତ ପ୍ରକାଶ କରାଯାଇଛି ।
ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଟରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here