୩ୟ ଦିନରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ: ଘର ଆଲଟମେଣ୍ଟ ର ଉଚ୍ଚସ୍ତରୀୟ ତଦନ୍ତ ଦାବି

0
185

ଭୁବନେଶ୍ୱର, ୨୦/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ୩ୟ ଦିନରେ ମା ତାରିଣୀ ବସ୍ତି ପଟୁ ବିଏମସି ବିଡିଏ ଓ ସ୍ମାର୍ଟ ସିଟି ଉଛେଦକାରୀ ଦଳ ବୁଲଡୋଜର ଓ ବ୍ୟାପକ ପୋଲିସ ଫୋର୍ସ ସହିତ ପହଞ୍ଚିଥିଲେ। ଗତ ଦୁଇ ଦିନରେ ଅରବିନ୍ଦ ନଗରର ବସ୍ତି ଥଇଥାନ ବିଏସୟୁପି ଯୋଜନାରେ କୋଠାଘର ପାଇ ସାରିଥିବା ଲୋକଙ୍କ ଘର ଭାଙ୍ଗିଥିବା ବେଳେ ଆଜି ତାରିଣୀ ବସ୍ତିର ଘର ଭାଙ୍ଗିବାକୁ ପହଂଚିଲେ। କିନ୍ତୁ ତାରିଣୀ ବସ୍ତିର ସମସ୍ତ ବସ୍ତିବାସିନ୍ଦା କୋଠାଘର ପାଇବା ପରେ ପରେ ନିଜ ଘର ନିଜେ ଭାଙ୍ଗି, ଆଜବେଷ୍ଟସ କବାଟ ଝରକା ଖୋଲି ନେଇଯାଇଥିଲେ। କେବଳ କାଂଥ ଗୁଡିକ ଛିଡା ହୋଇଥିଲା। ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି କାଂଥଭଙ୍ଗା ଅଭିଯାନ ଚାଲୁ ରହିଥିଲା।
ଆଉ ୫ଟି ଘରର କାଂଥ ଭଙ୍ଗା ବାକି ରହିଥିବା ବେଳେ, ଭଙ୍ଗାଳୀ ଦଳ ଅପରାହ୍ନ ୨ ଟାରେ ଭଙ୍ଗା ଅଭିଯାନ ବନ୍ଦ କରି ଚାଲିଯାଇଥିଲେ। ପୁଣି ଥରେ ଆସି ବାକି ୫ଟି ଘରର କାଂଥ ଭାଙ୍ଗିବେ ବୋଲି କହିଥିଲେ। ଚଳିତ ଭଙ୍ଗା ଅଭିଯାନର ପ୍ରଥମ ଦିନ ୧୮ ଜାନୁଆରୀରେ ସକାଳ ୧୦ ଟାରୁ ପ୍ରତିରୋଧର ସାମ୍ନା କରି ୨.୩୦ମି ପର୍ଯ୍ୟନ୍ତ ବସ୍ତି ଭିତରେ ବୁଲଡୋଜର ପଶି ପାରି ନଥିଲା। ଘର ପାଇନଥିବା ଲୋକଙ୍କ ଗୋଟିଏ ମଧ୍ୟ ଘର ନଭାଙ୍ଗିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ୨.୩୦ ରୁ ୫ ଟା ପର୍ଯ୍ୟନ୍ତ ଘରଭଙ୍ଗା ଚାଲିଥିଲା। କିନ୍ତୁ ଆଜି ଆଉ ମାତ୍ର ୫ଟି ଘରର କାଂଥ ଭାଙ୍ଗିବାକୁ ଥିବାବେଳେ ୨.୩୦ମିରେ ଡୋଜର ଫେରାଇ ନେଇ ପୁଣିଥରେ ଭାଙ୍ଗିବାକୁ ଆସିବାକୁ କହି ଯିବା ପ୍ରଶାସନର ନିୟତି ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଗତ ୧୫ ତାରିଖରେ ବସ୍ତି ଭାଙ୍ଗିବାକୁ ମାଇକ ପ୍ରଚାର ପରଠାରୁ ବସ୍ତିବାସିନ୍ଦା କାମଧନ୍ଦା ବନ୍ଦ କରି ବିଏମସି, ବିଡିଏ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡିଥିଲେ। ଗତ ୧୮ ତାରିଖରୁ ଲଗାତର ୩ ଦିନଧରି ସେମାନଙ୍କ ଘରର ସୁରକ୍ଷା ପାଇଁ ଜଗି ରହିଥିଲେ। ସବୁ ଦିନେ ଏଭଳି କାମଧନ୍ଦା ହରାଇ ବଞ୍ଚିବେ କିଭଳି ବୋଲି ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଯେହେତୁ ପୂର୍ବରୁ ଏହିଭଳି ଘର ପାଇଥିବା ଲୋକଙ୍କ ଘର ଭାଙ୍ଗିବା ନାମରେ ଆସି ଆଦୌ ଘର ପାଇନଥିବା ଲୋକଙ୍କ ଘର ଭାଙ୍ଗି ଦେଇଥିଲେ। ଏହାକୁ ନେଇ ବସ୍ତିବାସିନ୍ଦା ଭୟଭୀତ ହେବା ସ୍ୱାଭାବିକ। ଏହି ପରିପ୍ରେକ୍ଷୀରେ ବସ୍ତିବାସିନ୍ଦା ପୁଣିଥରେ ବିଡିଏ, ବିଏମସି ଓ ଭୁବନେଶ୍ୱର ଡିସିପିଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି କିଛି କିଛି କାଂଥ ଭାଙ୍ଗିବା ପାଇଁ ବାରମ୍ବାର ବୁଲଡୋଜର ନେଇ ଆସି ସେମାନଙ୍କୁ ଆତଙ୍କିତ କରନ୍ତୁ ନାହିଁ। ବର୍ତ୍ତମାନ ଉଭୟ ବସ୍ତିର ମୋଟ ୪୦୦ ପରିବାରଙ୍କ ମଧ୍ୟରୁ ମଝିରେ ଗୋଟିଏ ଗୋଟିଏ ପରିବାର ବା ମୋଟ ୧୭୯ ପରିବାର କୋଠାଘର ପାଇଥିବା ବେଳେ ବାକି ପ୍ରାୟ ୨୦୦ ପରିବାର ଘର ପାଇ ନାହାନ୍ତି। ଏଥିରୁ ୧୩୭ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗେଇ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଡିପୋଜିଟ କରିବାକୁ କହିଛନ୍ତି। ଲୋକେ ଘରୋଇ ସୁଧକୁ ଟଙ୍କା ଆଣି ଡିପୋଜିଟ କରିଛନ୍ତି। ସେମାନଙ୍କୁ ଡିସେମ୍ବର ୨୮ ରେ ଘର ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ମଧ୍ୟ ଦିଆଯାଇନାହିଁ। କିନ୍ତୁ ଶାସକ ଦଳ ଓ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏହି ଭଙ୍ଗା ଅଭିଯାନରେ ପ୍ରତିବାଦ ନକରିବାକୁ ଏବଂ ଯଦି ବାକି ଲୋକଙ୍କ ଘରଭଙ୍ଗା ବେଳେ ପ୍ରତିବାଦରେ ସାମିଲ ହୁଅନ୍ତି ତାଙ୍କ ଟଙ୍କା ମଧ୍ୟ ବୁଡିଯିବ ଏବଂ ଘର ପାଇବେନି ବୋଲି ଧମକ ଦିଆଯାଇଥିଲା। ଫଳରେ ଘର ନପାଇ ମଧ୍ୟ ଏହି ୧୩୭ ପରିବାର ଏହି ୩ ଦିନର ଆନ୍ଦୋଳନରେ ସାମିଲ ହୋଇନଥିଲେ। ସରକାରୀ ଦଳ ଓ ପ୍ରଶାସନ ଲୋକଙ୍କୁ ଭାଗ ଭାଗ କରି ମାତ୍ର କିଛି ପରିବାରଙ୍କୁ କୋଠାଘର ଦେଇ ବାକି ଲୋକଙ୍କ ଉଛେଦ ଉଦ୍ୟମ ଜାରୀ ରଖିଛନ୍ତି, ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତିବାସିନ୍ଦାଙ୍କ ମିଳିତ କମିଟି ପକ୍ଷରୁ ଏହାର ତୀବ୍ର ନିନ୍ଦା କରାଯାଇଛି। ଏଥିସହ ଘର ଆଲଟମେଣ୍ଟ ରେ ହୋଇଥିବା ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରି ବସ୍ତିରେ ଆଦୌ ରହୁନଥିବା ଫେକ ଲୋକଙ୍କ ଘର ରଦ୍ଦ କରିବା ସହିତ ବସ୍ତିରେ ପ୍ରକୃତରେ ରହୁଥିବା ସବୁ ଗରୀବ ପରିବାରଙ୍କ ନାମରେ ଘର ଆଲଟମେଣ୍ଟ କରିବାକୁ ଏବଂ ଥଇଥାନ ପୂର୍ବରୁ ଉଛେଦ ବନ୍ଦ ରଖିବାକୁ ମିଳିତ ବସ୍ତି କମିଟି ପକ୍ଷରୁ ସରକାର ଓ ପ୍ରଶାସନ ନିକଟରେ ଦାବି କରାଯାଇଛି ଏବଂ ସେମାନଙ୍କ ଦାବି ପୂରଣ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବେ ବୋଲି ବସ୍ତି କମିଟି ନେତା ଦୀନବନ୍ଧୁ ସାହୁ, ପର୍ଶୁରାମ ମହଲା, ଜୟ କିଶୋର ଶର୍ମା, ପୀତବାସ ବେହେରା, ରଜନୀ ପଣ୍ଡା, ଜଗବନ୍ଧୁ ସାହୁ, ଶୈଳବାଳା ସାହୁ ଆଦି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here