ନାମ ମନ୍ଦିରରେ ଶସ୍ତ୍ର ପୂଜନ,ଆଲୋଚନା ଚକ୍ର ଓ କ୍ଷେତ୍ର ପରିକ୍ରମା।

0
232

 

ଯାଜପୁର, ୨୮/୧୦/୨୦୨୦(ବ୍ୟୁରୋ ରିପୋର୍ଟ)
ସମ୍ପ୍ରତି ସମଗ୍ର ବିଶ୍ୱରେ ସଂସ୍କୃତିର ଅବକ୍ଷୟ ଘଟିଥିବାବେଳେ ଏହି ସଂସ୍କୃତିର ସୁରକ୍ଷା ପାଇଁ ଆଦିମ କାଳରୁ ପ୍ରଚଳିତ ଥିବା ଶସ୍ତ୍ର ପୂଜନ ଚାଳନାର ଆବଶ୍ୟକତାକୁ ଉପଲବ୍ଧି କରି ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ବରୁଣେଶ୍ୱର କ୍ଷେତ୍ରସ୍ଥ ନାମ ମନ୍ଦିର ପରିସରରେ ତ୍ରିଦିବସୀୟ ଖଡ୍ଗ ପୂଜନର ପୁରଶ୍ଚରଣ କର୍ମ ଉପଲକ୍ଷେ କୋଭିଡ଼ ନିୟମାନୁସାରେ ସାମାଜିକ ଦୂରତା ରକ୍ଷା କରି ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା।ନାମ ମନ୍ଦିରର ପ୍ରତିଷ୍ଠାତା ସନ୍ଥ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ନାମ ମନ୍ଦିରର ବରିଷ୍ଠ ସଦସ୍ୟ ତଥା ବର୍ଷିୟାନ ସମାଜସେବୀ ଶିକ୍ଷାବିତ ଶ୍ରୀଯୁକ୍ତ ବିପିନ ବିହାରୀ ଧଳ ସଭାପତିତ୍ୱ କରିଥିଲେ।ଏଥିରେ ମୁଖ୍ୟ ବକ୍ତାଭାବେ ବକ୍ସିଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୁଧୀର କୁମାର ଜେନା ଯୋଗଦାନ କରି ଆତ୍ମନ ଏବଂ ଆତ୍ମାନ ମାନଙ୍କର ସୁରକ୍ଷା ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଅସ୍ତ୍ର ଚାଳନାର ଆବଶ୍ୟକତା ସମ୍ପର୍କରେ ଭାଵଗର୍ଭକ ମନ୍ତବ୍ୟ ରଖିଥିଲେ।ଅନ୍ୟତମ ଅତିଥି ଭାବେ ଅରେଇ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପରିଡା ମାତୃ ଉପାସନାରେ ଖଡ୍ଗ ପୂଜନ,ପଣ୍ଡିତ ବିଶ୍ଵନାଥ ତ୍ରିପାଠୀ ଶାସ୍ତ୍ର ସହିତ ଶସ୍ତ୍ର ପୂଜନ ତଥା ଶକ୍ତି ଉପାସନା, ସାମ୍ବାଦିକ ରତନଲାଲ ଭୂୟାଁ ଗୁରୁବାଦରେ ଶକ୍ତି ଉପାସନା ଓ ଖଡ୍ଗ ପୂଜନ,ସମାଜସେବୀ ଉମାକାନ୍ତ ବିଶ୍ୱାଳ ଜାତୀୟ ଏକତା ଓ ଅସ୍ତ୍ର ଉପାସନା, ସଙ୍ଗଠକ ଗୋପାଳ ଚନ୍ଦ୍ର ସାମଲ ସଂହତି ପ୍ରତିଷ୍ଠା ଅସ୍ତ୍ର ଉପାସନା ,ବିରଞ୍ଚି ନାୟକଙ୍କ ଦ୍ଵାରା ଆଚରଣ ସିଦ୍ଧ ଓ ଖଣ୍ଡାୟତ ବିଚାରଧାରା,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଯାଜପୁର ଜିଲ୍ଲା ପ୍ରଚାରକ ଶ୍ରୀଯୁକ୍ତ ଶ୍ୟାମ ପ୍ରସାଦ ସାହୁଙ୍କ ଦ୍ଵାରା ସଂସ୍କୃତି ସୁରକ୍ଷା ଓ ଅସ୍ତ୍ର ଚାଳନା
ଆଦି ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିବା ବେଳେ ବୈଷ୍ଣବତନ୍ତ୍ରର ଶସ୍ତ୍ର ପୂଜକ ପଣ୍ଡିତ ଚିନ୍ମୟ ଦାଶ ଏଥିରେ ଯୋଗଦାନ କରି ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ସହ ପ୍ରାଚୀନ ବୈଦିକ ସଭ୍ୟତାରେ ଚକ୍ର ପୂଜା,ବେତ ପୂଜା ଓ ଖଡ୍ଗ ପୂଜା ପରମ୍ପରା ତଥା ପ୍ରକୃତି,ପରିବେଶ ଓ ସଂସ୍କୃତିର ସୁରକ୍ଷା ପାଇଁ ଆର୍ଯ୍ୟାବର୍ତ୍ତନ ସଭ୍ୟତାରେ କିଭଳି ଭାବରେ ଅସ୍ତ୍ର ଚାଳନା କରାଯାଇଥିଲା ସେ ସମ୍ପର୍କରେ ସାରଗର୍ଭକ ମନ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟତମ ଆଲୋଚକ ଭାବେ ଅକ୍ଷୟ ସାମଲ,ପଞ୍ଚାନନ ସାମଲ,ଗୌରାଙ୍ଗ ସାମଲ,ଜନ୍ମେଜୟ ସାମଲ,ବଳରାମ ବଳ, ବିଷ୍ଣୁ ନାୟକ,ବନା ବରାଳ,ବସନ୍ତ ଦାସ,ବିଶ୍ବମ୍ବର ମହାପାତ୍ର,ଦେବ ନାୟକ ,ଶୁକଦେଵ ରାଉତ,ଗୋପାଳ ନାୟକ ଆଦି ଯୋଗଦାନ କରି ଶସ୍ତ୍ର ଓ ଶାସ୍ତ୍ର ପୂଜନ ତଥା ଏହାକୁ ଆୟତରେ ରଖି ସମାଜ କଲ୍ୟାଣରେ ବିନିଯୋଗ କରିବା ସମ୍ପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ।ଅନ୍ତିମ ପର୍ଯ୍ୟାୟର ସମାଵର୍ତନ ସଭାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂସ୍କୃତି ସୁରକ୍ଷା ସୈନ୍ୟମାନଙ୍କୁ ନେଇ ନାମ ମନ୍ଦିର ପକ୍ଷରୁ ନବ ଗଠିତ ବିଶାଳ “ସଂସ୍କୃତି ସୁରକ୍ଷା ସେନା”ର ସମସ୍ତ ଯୋଦ୍ଧା ମାନଙ୍କୁ ଉପଢୌକନ ସହ ଅସ୍ତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ସୈନ୍ୟ ମାନଙ୍କଦ୍ୱାରା ବରୁଣେଶ୍ୱର କ୍ଷେତ୍ର ପରିକ୍ରମା ଓ ମାଆ ପାର୍ବତୀଙ୍କ ଆଶିଷ ଭିକ୍ଷା ଗ୍ରହଣ କରାଯାଇଥିଲା।ଏହି ଅବସରରେ ଦିଜ ଜେନା ଓ ସାଥୀମାନଙ୍କ ଦ୍ୱାରା ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରିଥିଲା।ଶେଷରେ ବିଜୟ କୁମାର ମହାପାତ୍ରଙ୍କ ଦ୍ଵାରା ଧନ୍ୟବାଦ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସତ୍ୟହରି ମହାରାଜ,ହିରଣ୍ୟ ମହାରାଜ,କାଶ୍ୟପ ମହାରାଜ,ହରିବୋଲ ମହାରାଜଙ୍କ ସମେତ ସମସ୍ତ ଆଶ୍ରମର ଅନ୍ତେବାସୀ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here