ବରଫ ତଳୁ ମିଳିଲା ଯବାନଙ୍କ ମୃତଦେହ, ୮ ମାସ ତଳେ ହୋଇଥିଲେ ନିଖୋଜ

0
198

ନୂଆଦିଲ୍ଲୀ,୧୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଜମ୍ମୁ-କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୮ ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ଯବାନଙ୍କ ମୃତଦେହ ଏବେ ବରଫ ଗଦା ତଳୁ ଉଦ୍ଧାର କରାଯାଇଛି । ରାଜେନ୍ଦ୍ର ନେଗି ନାମକ ଏହି ଯବାନ ୧୧ ଗରୱାଲ ରାଇଫଲ୍‌ସରେ ନିୟୋଜିତ ଥିଲେ । ଚଳିତ ବର୍ଷ ଜାନୁଆରୀରେ କାଶ୍ମୀରର ଗୁଲମର୍ଗ ସଂଲଗ୍ନ ଏଲଓସିରେ ପାଟ୍ରୋଲିଂ କରୁଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ ।
ଭାରତୀୟ ସେନା ସନ୍ଦେହ କରୁଥିଲା ଯେ ସେ ବରଫ ଆଚ୍ଛାଦିତ ପାହାଡରୁ ଖସିଯାଇ ପିଓକେ ପଟରେ ବୋଧହୁଏ ପଡିଛନ୍ତି । ବ୍ୟାପକ ଖୋଜାଖୋଜି ପରେ ତାଙ୍କ ସମ୍ପର୍କରେ କିଛି ସୂଚନା ନ ମିଳିବାରୁ ଭାରତୀୟ ସେନା ତାଙ୍କୁ ଗତ ମେ’ ମାସରେ ମୃତ ଘୋଷଣା କରିଥିଲା । କିନ୍ତୁ ତାଙ୍କ ମରଶରୀର ଉଦ୍ଧାର କରିବା ପାଇଁ ତାଙ୍କ ପରିବାର ତରଫରୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ କିଛି ନେତା ଓ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା ।
ଗତ ଶନିବାର ସ୍ୱାଧୀନତା ଦିବସ ଅବସରରେ ତାଙ୍କର ମୃତଦେହକୁ ବରଫ ଗଦା ତଳୁ ବାହାର କରାଯାଇଛି । ସେନାର ଜଣେ ଅଧିକାରୀ ତାଙ୍କ ପରିବାର ଲୋକଙ୍କୁ ଏହି ସୂଚନା ଦେଇଛନ୍ତି । ସେନା ତରଫରୁ କୁହାଯାଇଛି ଯେ ଏବେ ବରଫ ତରଳିବା ଯୋଗୁ ତାଙ୍କ ମୃତଦେହର ଉପର ପାଶ୍ୱର୍ ବାହାରକୁ ଦେଖାଯାଉଥିଲା । ସେନାର ଏକ ପାଟ୍ରୋଲିଂ ଦଳ ଏହା ଦେଖିବା ପରେ ତାଙ୍କ ମୃତଦେହକୁ ସେଠାରୁ କଢା ଯାଇଥିଲା ।

LEAVE A REPLY

Please enter your comment!
Please enter your name here