ଟିକଟକ୍ କୁ ନେଇ ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

0
272

 

କଟକ,୩୦/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ଟିକଟକ୍ ଭିଡିଓକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କୋର୍ଟଙ୍କ କହିବା ଅନୁଯାୟୀ, ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକଟକ୍ ଭିଡିଓ । କେବଳ ସେତିକି ନୁହେଁ, ଗ୍ରାମାଂଚଳଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଏନେଇ ଅନେକ ଜୀବନ ଯାଉଛି ଆଉ ସମ୍ମାନହାନୀ ବି ଘଟୁଛି । ଏସବୁକୁ ରୋକିବା ପାଇଁ ରାଜ୍ୟରେ ସାଇବର ତଦନ୍ତକୁ କଡାକଡି କରାଯିବ । ସମ୍ବଲପୁରର ଏକ ମାମଲାର ବିଚାର କରିବା ବେଳେ ଆଜି କିଛି ଏଭଳି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ନିକଟରେ ଟିକଟକ ଭିଡ଼ିଓକୁ ନେଇ ନୟାଗଡ ଏବଂ ଗଞ୍ଜାମରୁ ମୃତ୍ୟୁର ଏମିତି ଖବର ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଟିକଟକ ନିଶା ଏମିତି ଚଢିଯାଇଥିଲା ଯେ, ସିଲିଂ ଫ୍ୟାନରେ ଶାଢୀ ବାନ୍ଧି ଆତ୍ମହତ୍ୟାର ଅଭିନୟ କରୁଥିବା ବେଳେ, ନୟାଗଡରେ ଚାଲିଯାଇଥିଲା ଜଣେ ୧୫ ବର୍ଷୀୟ ନାବାଳକଙ୍କର ଜୀବନ । ସେହିପରି ଗଞ୍ଜାମରେ ତାରାତାରିଣୀଙ୍କୁ ଦର୍ଶନ କରି ଫେରିବା ବେଳେ ରାସ୍ତାରେ ଟିକଟକ ଭିଡିଓ କରୁଥିବା ସମୟରେ ଦୁର୍ଘଟଣାରେ ଚାଲିଯାଇଥିଲା ଜଣଙ୍କର ଜୀବନ । ଏପରିକି ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଆମେରିକା ସେନା ମଧ୍ୟ ଟିକଟକକୁ ବ୍ୟାନ୍ କରିଛି ।ତେବେ ଟିକଟକକୁ ଭାରତରୁ ବ୍ୟାନ୍ କରିବା ପାଇଁ ମଧ୍ୟ ଅନେକ ଦାବି ଉଠୁଛି । ଏପରିକି ସୋସିଆଲ ମିଡିଆରେ ଟିକଟକକୁ ନେଇ ଅନେକ ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ, ଗୁଗୁଲ ପ୍ଲେ ଷ୍ଟୋରରେ ଟିକଟକର ରେଟିଂ ବହୁତ ତଳକୁ ଖସିଆସିଥିଲା ।
ଅନ୍ୟପଟେ ଟିକଟକକୁ ଟକ୍କର ଦେବା ପାଇଁ ଏବେ ସ୍ୱଦେଶୀ ଆପ୍ ମିତ୍ରୋ ଅନେକ ଲୋକପ୍ରିୟତା ସାଉଁଟିପାରିଛି । ଏପରିକି ବହୁତ ଅଳ୍ପ ଦିନରେ ଏହି ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢିଯାଇଛି । ତେବେ ଟିକଟକକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଏବେ କଡାକଡି ହେବ ସାଇବର ତଦନ୍ତ ।

LEAVE A REPLY

Please enter your comment!
Please enter your name here