ଜାରି ହେବ ଲକଡାଉନ୍‌ 4.0, ଜାଣନ୍ତୁ କିପରି ପ୍ରସ୍ତୁତି କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
273

 

ନୂଆଦିଲ୍ଲୀ, ୧୩/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ରୋନା ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ସାରା ଦେଶ ଏବେ ଲକଡାଉନ୍‌ରେ। ମାର୍ଚ୍ଚ ୨୫ ତାରିଖରେ ଦେଶରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଘୋଷଣା ହୋଇଥିଲା। ଏପ୍ରିଲ ୧୫ରୁ ଦ୍ୱିତୀୟବାର ୧୮ ଦିନିଆ ଲକଡାଉନ ହୋଇଥିବା ବେଳେ ମେ ୪ରୁ ଦେଶରେ ୧୪ ଦିନିଆ ଲକଡାଉନ୍ ଜାରି ରହିଛି। ଏବେ ଚତୁର୍ଥ ଲକଡାଉନ ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ବୁଧବାର ସଚିବଙ୍କ ଏକ ଉଚ୍ଚସ୍ତରୀୟ ବୈଠକ କରିଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ଏହା ସହ ଲକଡାଉନ ୪.୦ ଲାଗି ସମ୍ପୂର୍ଣ୍ଣ ନୂଆ ମାନଦଣ୍ଡ ନିର୍ଦ୍ଧାରିତ ହେବ ବୋଲି ମଧ୍ୟ କହିଥିଲେ। ଏଣୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପ୍ରସ୍ତୁତି ଲାଗି ପ୍ରଧାନମନ୍ତ୍ରୀ ବୁଧବାର ଦିନତମାମ କାର୍ଯ୍ୟବ୍ୟସ୍ତ ଥିବାବେଳେ ଦେଶ କରୋନା ମୁକ୍ତ ହେବା ସହ କିପରି ବନ୍ଦପଡିଥିବା ଅର୍ଥବ୍ୟବସ୍ଥା ପୁଣି ଗତିଶୀଳ ହେବ ସେଥିଲାଗି ମାନସ ମନ୍ଥନ କରିଛନ୍ତି। ଲକ୍ ଡାଉନ ୪.୦ ଲାଗି ୧୮ ମେ ପୂର୍ବରୁ ନୂଆ ମାନଦଣ୍ଡ ଘୋଷଣା କରିଦିଆଯିବ। ତେବେ ମିଳିଥିବା ସୂଚନା ଅନୁସାରେ ଏଥିରୁ ଉଦ୍ୟୋଗ ଖାସ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ମୁକ୍ତ ରଖିବାକୁ ବିଚାର କରାଯାଉଛି। ଚତୁର୍ଥପର୍ଯ୍ୟାୟ ଜାତୀୟ ଲକଡାଉନ୍ ଲାଗି ଅଧିକାରପ୍ରାପ୍ତ ସମିତି ଦ୍ୱାରା ଖୁବ୍ ଶୀଘ୍ର ନୂଆ ନିୟମ ସେଟ୍ ବ୍ୟାଖ୍ୟା ହେବ। ତେବେ ନୂଆ ନିୟମ ଜାରି ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମଧ୍ୟ ଗ୍ରହଣ କରାଯିବ। ମୋଦି ସରକାର କୋଭିଡ-୧୯ ମହାମାରୀ ଲାଗି ଏକ ସମନ୍ୱିତ ତଥା ବ୍ୟାପକ ପ୍ରକ୍ରିୟା ପ୍ରସ୍ତୁତି ଲାଗି ୧୧ଟି ଅଧିକାର ପ୍ରାପ୍ତ ସମୂହ ଗଠନ କରିଛନ୍ତି। ବିପର୍ଯ୍ୟୟ ପ୍ରସମନ ଅଧିନିୟମରେ ସ୍ଥାପିତ ଏହି ସମୂହରେ ପିଏମଓ ଏବଂ କ୍ୟାବିନେଟ୍ ସଚିବଙ୍କ ବରିଷ୍ଠ ପ୍ରତିନିଧି ମଧ୍ୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here